Sep 8, 2018 · 1 min read
**ପୁଣି ଥରେ କର ମୋତେ ଶୂନ୍ୟ**
ମୁକ୍ତ ହେଲି ଶୁନ୍ୟତାରୁ ଯେବେ ହେଲ ଯୁକ୍ତ
ଅଙ୍କ ଯୋଡ଼ି ତିକ୍ତ ହେଲି ପୂର୍ଣ୍ଣ ରୁ ଅଧିକ,
ହା ହୁତାଶ ମୟ ଏ ଜୀବନ
ପୁଣି ଥରେ କର ମୋତେ ଶୁନ୍ୟ ।
ଅନ୍ତର୍ଦାହେ ଅନ୍ତର୍ମନ ଶତଧା ବିଭକ୍ତ
ବୈଭବ ବିଭୀଷିକା ରେ ମାନସ ସନ୍ତପ୍ତ,
ବିଷ ସମ ଲାଗେ ଏ ଭୂବନ
ପୁଣି ଥରେ କର ମୋତେ ଶୁନ୍ୟ ।
ଆଦ୍ୟାଷାଢ଼ ମେଘ ସମ ଗମ୍ଭୀର କୁଣ୍ଠିତ
ଅସହ୍ୟ ପିକ ଚାତକ ଲାଳାୟିତ ନେତ୍ର,
ଶାରଦୀୟ ମେଘ ଖଣ୍ଡ ସମ
ପୁଣିଥରେ କର ମୋତେ ଶୂନ୍ୟ ।
କର୍ଣ୍ଣେ ଗୁଞ୍ଜେ ସୁଗଭୀର ବିଷାଦ ରାଗିଣୀ
ପୁର୍ଣ୍ଣ ରୁ ଅଧିକ ବିତ୍ତ କରେ ଅଭିମାନି,
ଜୋକ ସମ ଲାଗନ୍ତି ସ୍ୱଜନ
ପୁଣିଥରେ କର ମୋତେ ଶୂନ୍ୟ ।
ତମାଚ୍ଛନ୍ନ ତୀବ୍ର ଆଜି ଦୄଷ୍ଟି ପ୍ରାନ୍ତେ ମୋର
ଛିନ୍ନ ପ୍ରାଣେ ନାହିଁ ତାର ମାଧୁରୀ ପରଶ,
ଅକଳନ୍ତ ବ୍ୟଥା ଭଗ୍ନ ପ୍ରାଣ
ପୁଣିଥରେ କର ମୋତେ ଶୂନ୍ୟ ।
ଚାହେଁନା ମୁଁ କଳ୍ପନାର ଅମୄତ କଣିକା
ଅନୀଳର ଗତି ପଥୁ ଶ୍ରୀଫଳ ବିଥିକା,
ଅନଶ୍ୱର ହେଉ ମୋର ପ୍ରେମ
ପୁଣି ଥରେ କର ମୋତେ ଶୁନ୍ୟ ।
-ଅଜାତମିତ୍ର-