ପ୍ରାସାଦ

ଗଡିଶାଗଡର ଜମିଦାର ରାଜୁ ସାମନ୍ତରା ଙ୍କ ଶେଷ ସମୟ ଆସିଗଲା। ଅସରନ୍ତି ବିଶାଳ ସମ୍ପତି। ଗାଁ ଲୋକ ମାନଙ୍କ ପାଇଁ ସେ ପୁରା ଦେବତା ତୁଲ୍ୟ।

ଗୋଟିଏ ବୋଲି ପୁଅ ବିପିନ ସାମନ୍ତରା। ପିଲା ଦିନୁ ବିଦେଶରେ। ଗାଁ ର ସମ୍ପତି ରେ ବିଲକୁଲ ଆଗ୍ରହ ନ ଥିଲା। ବାପାଙ୍କର ଶେଷ ସମୟ କଥା ଶୁଣି ଗାଁ କୁ ଆସିଲେ। ବାପାଙ୍କର ଶେଷକୃତ୍ୟ ସାରି ଫେରି ଯିବାକୁ ବାହାରିଲା ବେଳକୁ ଗାଁ ଲୋକ ମାନେ ଆସି ସମସ୍ତେ ପାଦ ତଳେ ପଡିଗଲେ। କହିଲେ ଆଜ୍ଞା, ଆମ ମାନଙ୍କୁ ଅନାଥ କରି ଛାଡି ଚାଲି ଯାଆନ୍ତୁ ନାହିଁ। ସାଆନ୍ତେ ଗଲା ପରେ ଆପଣ ଆଜ୍ଞା ହିଁ ଆମ ସାହା ଭରସା।

ଲୋକଙ୍କ ଏତେ ସ୍ନେହ ଶ୍ରଦ୍ଧା ଦେଖି ସାନ ସାଆନ୍ତେ ଆଉ ବିଦେଶ ଫେରି ପାରିଲେ ନାହିଁ। ଗାଁ ରେ ରହି ଲୋକଙ୍କ ସେବାରେ ଜୀବନ ଟା ଉତ୍ସର୍ଗ କରିଦେଲେ। ହେଲେ ସମ୍ପତି ବାଡି ସମ୍ଭାଳିବା ତାଙ୍କ ପାଇଁ କାଠିକର ପାଠ। ଏହାର ସୁଯୋଗ ନେଇ କିଛି ଲୋକ ତାଙ୍କୁ ସାହାଯ୍ୟ କରିବା ବାହାନାରେ ଆସ୍ତେ ଆସ୍ତେ ସାନ ସାଆନ୍ତେଙ୍କୁ ନିଜ ଅକ୍ତିଆରକୁ ନେଇଗଲେ। ଏହା ପରେ ସାନ ସାଆନ୍ତେ ଙ୍କ ଆଢୁଆଳରେ ଶାସନ କରି ଚାଲିଲେ ସେହି କପଟୀ ଲୋକ ମାନେ।

ପଚିଶି ବରଷ ବିତିଗଲା। ଲୋକ ମାନଙ୍କ ପାଇଁ ସାନ ସାଆନ୍ତେ ଥିଲେ ଭଗବାନଙ୍କ ଦ୍ବିତୀୟ ରୁପ। ଆଉ ତାର ଫାଇଦା ନେଉ ଥିଲେ ଆଉ କିଛି ଲୋକ। ଦିନେ ସେହି ଲୋକ ମାନେ ଆସି ସାନ ସାଆନ୍ତେଙ୍କୁ କହିଲେ, ଛାମୁ ଆଜ୍ଞା, ଏତେ ବରଷ ଆମେ ଆପଣଙ୍କ ସହ ନିଃସ୍ବାର୍ଥ ରେ ଲୋକଙ୍କ ସେବା କଲୁ। ଏବେ ଆମ ବଳ ବୟସ ଗଲାଣି। ଆଉ ଆଗ ଭଳି ଦଉଡା ଧପଡ କରିପାରୁନୁ।

ସାନ ସାଆନ୍ତେ ପଚାରିଲେ କଣ ଦରକାର କୁହ। ଲୋକ ମାନେ କହିଲେ, ନାହିଁ ଆଜ୍ଞା, ସେମିତି କିଛି ଦରକାର ନାହିଁ। ଆମେ ଭାବୁଥିଲୁ, ନଈ କୂଳରେ ଯୋଉ ବଡ ଯାଗାଟି ଅଛି, ସେଠି ଗୋଟେ ବିଶ୍ବ ସ୍ତରୀୟ ପ୍ରାସାଦ ତିଆରି କରିବା। ବାହାର ଗାଁ ମାନଙ୍କ ପାଇଁ ସେଇଟା ଗୋଟେ ଆକର୍ଷଣ ହେବ। ଆମେ ସମସ୍ତେ ସେଇଠି ଏକାଠି ରହିବୁ, ସବୁ ନୀତି ନିୟମ ଆରାମରେ ସ୍ଥିର କରି ପାରିବୁ।

ସାନ ସାଆନ୍ତେ ଖୁସି ଖୁସି ରାଜି ହେଇ ଗଲେ। କିନ୍ତୁ ଗାଁ ଲୋକମାନେ ପ୍ରଥମ ଥର ପାଇଁ ଖୁସି ନଥିଲେ, କାରଣ ସେହି ପ୍ରାସାଦ ତିଆରି କରିବା ପାଇଁ ତାଙ୍କୁ ସେମାନଙ୍କର ବିଲ ବାଡି ସବୁ ହରାଇବାକୁ ପଡିଲା। ଆସ୍ତେ ଆସ୍ତେ ଆନ୍ଦୋଳନର ନିଆଁ ଟା କୁହୁଳିବାକୁ ଲାଗିଥିଲା।

    Dr Rashmiranjan Sahoo

    Written by

    Welcome to a place where words matter. On Medium, smart voices and original ideas take center stage - with no ads in sight. Watch
    Follow all the topics you care about, and we’ll deliver the best stories for you to your homepage and inbox. Explore
    Get unlimited access to the best stories on Medium — and support writers while you’re at it. Just $5/month. Upgrade