ଅକ୍ଷୟ ତୃତୀୟା: କୃଷିର ଅନୁକୂଳ

ଓଡ଼ିଶାକୁ ଅନେକ କୃଷିଭିତ୍ତିକ ରାଜ୍ୟ ଭାବରେ ଗଣନା କରନ୍ତି ।
ଅବଶ୍ୟ କରିବା ଦରକାର । କୃଷି ଏବଂ କୃଷକ ଆଗେଇଲେ ଓଡ଼ିଶା ଆଗେଇବ । ଆଜିର ସେହି କୃଷି ଭିତ୍ତିକ ପର୍ବର ଅନୁକୂଳ କରାଯାଏ ଅକ୍ଷିମୁଠିର ଏବଂ ଆରମ୍ଭ ହୋଇଥାଏ ଚାଷ କାମର । ଅକ୍ଷୟ ତୃତୀୟା ଏକ ଶୁଭଦିନ । ତେଣୁ ଏହିଦିନରେ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୋଇଥାଏ । ଚାଷୀମାଏ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ଏକ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ହଳଲଙ୍ଗଳ ଧରି କ୍ଷେତକୁ ଯାଇଥାଏ । ବିଲରେ ଲକ୍ଷ୍ମୀ ଠାକୁରାଣୀଙ୍କ ଉପାସନା କରିବା ପରେ ହଳ କରିଥାଏ ଏବଂ ବିହ‌ନ ବୁଣା କାର୍ଯ୍ୟ ଆରମ୍ଭ କରିଥାଏ । ମୁଖ୍ୟତଃ ଆଜିଠାରୁ ବିଲରେ ହଳ କରିବା ଏବଂ ବିହ‌ନ ବୁଣିବା ଆରମ୍ଭ ହୋଇଥାଏ ଏବଂ ରକ୍ଷାବନ୍ଦନ ପରେ ହଳକାମ ସମ୍ପୂର୍ଣ୍ଣ ବନ୍ଦ ହୁଏ ଆଗରୁ ପରମ୍ପରା ରହିଆସଛି ।

ଅକ୍ଷୟ ତୃତୀୟାରେ ପାଳିତ ହେଉଥିବା ବ୍ରତ ବିଷୟରେ ଓଡ଼ିଆ ଉଇକିପିଡ଼ିଆରୁ ଆଣିଥିବା ଏକ ଆଲେଖ୍ୟ:
ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ସହିତ କୃତ୍ତିକା ବା ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ମହାଫଳ ପ୍ରାପ୍ତିହୁଏ । ଏହାକୁ ବ୍ରତ ରୂପେ ପାଳନ କରାଯାଏ । ବ୍ରତୀମାନେ ଶୁଦ୍ଧକାଳରେ ଏହି ବ୍ରତକୁ ଆରମ୍ଭକରି ଆଠବର୍ଷରେ ଉଦ୍‌ଯାପନ କରନ୍ତି । ଏହିଦିନ ଜଳଦାନ କଲେ କି ପୁଣ୍ୟଫଳ ମିଳେ ସେ ସଂପର୍କରେ ଚମତ୍କାର ଉପାଖ୍ୟାନଟି ଅଛି- ପୁରାକାଳରେ ଜଣେ ପାପୀ ବ୍ରାହ୍ମଣ ଥିଲା । ସେ ତା’ ଜୀବନରେ କିଛି ଦାନ ଧର୍ମକାର୍ଯ୍ୟ କରି ନଥିଲା । ଥରେ ତା’ ଗୃହକୁ ଅନ୍ୟ ଜଣେ ତୃଷାର୍ତ୍ତ ବ୍ରାହ୍ମଣ ଆସି ଜଳଭିକ୍ଷା କଲା । ପାପୀ ବ୍ରାହ୍ମଣ ତାକୁ ଜଳ ନଦେଇ ନିଷ୍ଠୁର ଭାବେ ଗୃହରୁ ବିତାଡ଼ିତ କଲା ସମୟରେ ସୁଶିଳା ନାମୀ ତା’ର ସ୍ତ୍ରୀ ଆସି ସ୍ୱାମୀକୁ ସେ କାର୍ଯ୍ୟରୁ ନିବୃତ୍ତ କଲା ଓ ତୃଷାର୍ତ୍ତକୁ ଜଳଦାନ କଲା । କିଛି ବର୍ଷ ପରେ ପାପୀ ବ୍ରାହ୍ମଣର ମୃତ୍ୟୁ ହେଲା । ଯମଦୂତମାନେ ଆସି ତାକୁ ବାନ୍ଧି ନେଇଗଲେ । ଯମପୁରୀରେ ଥାଇ ଥରେ ସେ ତୃଷାର୍ତ୍ତ ହୋଇ ଯମଦୂତଙ୍କୁ ଜଳଭିକ୍ଷା କଲା । ଯମଦୂତମାନେ ତାହାକୁ ତିରଷ୍କାର କରି କହିଲେ- ନିଜ ଜୀବନରେ କେବେ ଜଳଦାନ ନକରି ଜଳଭିକ୍ଷା କରୁଛୁ କିପରି, ପାପୀ? ଏହି ସମୟରେ ସ୍ୱୟଂ ଯମରାଜ ସେଠାରେ ପହଞ୍ଚି ସ୍ୱହସ୍ତରେ ସେ ବ୍ରାହ୍ମଣକୁ ଜଳଦାନ କଲେ । ଦୂତମାନେ ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ପଚାରିବାରୁ ଯମରାଜ କହିଲେ — ଏହି ବ୍ରାହ୍ମଣ ସାରା ଜୀବନ ପାପକର୍ମ କରିଥିଲେ ସୁଦ୍ଧା ଅକ୍ଷୟତୃତୀୟା ଦିନ ଏହାର ସ୍ତ୍ରୀ ତୃଷାର୍ତ୍ତ ବ୍ରାହ୍ମଣକୁ ଜଳଦାନ କରିଥିଲା । ସ୍ତ୍ରୀର ସେହି ପୁଣ୍ୟବଳରୁ ଏହାର ପାପ ଖଣ୍ଡନ ହୋଇଛି । ତେଣୁ ଏହାର ଆଉ ନର୍କଭୋଗ ଯୋଗ ନାହିଁ । ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ନିଜେ ଭୂମିପୂଜା କରି ବୀଜବପନ କରୁଥିଲେ । ଭୂମିକର୍ଷଣ ସମୟରେ ସେ ସୀତାଙ୍କୁ ଲାଭ କରିଥିବାରୁ ଋକ୍ ବେଦରେ ସୀତା ଉତ୍କୃଷ୍ଟ ବୀଜଦାତ୍ରୀ ରୂପେ ବର୍ଣ୍ଣିତ ହୋଇଛନ୍ତି । ବୈଦିକ ଋଷିମାନେ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ସୀତାଙ୍କୁ ସ୍ତୁତି କରିଛନ୍ତି । ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ଗୋଟିଏ ପ୍ରଶସ୍ତ ଶୁଭଦିନ ରୂପେ ବର୍ଣ୍ଣନା କରାଯାଉଛି ।

ଆଜିର ଏହି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥକାମର ଅନୁକୂଳ ହୋଇଥାଏ । ପ୍ରକୃତରେ ରଥ ନିର୍ମାଣର ଶୁଭାରମ୍ଭ ହୋଇଥାଏ ସରସ୍ଵତୀ ପୂଜା ଶ୍ରୀପଞ୍ଚମୀ ତିଥି ଠାରୁ । ଶ୍ରୀପଞ୍ଚମୀ ଦିନ ରଥକାଠ ପୁରୀରେ ପହଞ୍ଚିବା ସଙ୍ଗେ ସଙ୍ଗେ ଅନୁକୂଳ ନୀତି ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ହୋଇଥାଏ । ଶ୍ରୀରାମ ନବମୀ ଦିନ ରଥକାଠ ଚିରା କାର୍ଯ୍ୟର ଅନୁକୂଳ ମନୋନୀତ କରତ କଳରେ ହୋଇଥାଏ । ଅକ୍ଷୟ ତୃତୀୟା ଦିନ ତିନି ରଥ ଶୁଭାରମ୍ଭ କାର୍ଯ୍ୟର ଅନୁକୂଳ ହୋଇଥାଏ । ବାହାର ଚନ୍ଦନ ଯାତ୍ରାର ଶେଷଦିନ ରଥ ଅଖରେ ଚକ ଲାଗେ । ଏହା ପରେ ନୃସିଂହ ଚତୁର୍ଦ୍ଦଶୀ ଦିନ ଗୁଜ ଅନୁକୂଳ, ଶ୍ରୀକ୍ଷେତ୍ର ଭଉଁରୀ ଦିନ ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକ ଡେରା ହୋଇଥାଏ ଓ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ଏହା ଉପରେ ଲାଗି କରାଯାଇଥାଏ । ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରତି ରଥର ଚାରିନାହାକା ଡେରା ଅନୁକୂଳ ଓ ନେତ୍ରୋତ୍ସବ ଦିନ (ରଥଯାତ୍ରା ପୂର୍ବ ଦିନ) ଅପରାହ୍ନ ସୁଦ୍ଧା ତିନିଟି ଯାକ ରଥ ସୁସଜ୍ଜିତ ହୋଇ ଶ୍ରୀନଅର ସ୍ଥିତ ରଥଖଳାରୁ ଟଣା ହୋଇ ସିଂହଦ୍ଵାର ସମ୍ମୁଖରେ ରଖାଯାଏ ।

ଅକ୍ଷୟ ତୃତୀୟାର ବିଶେଷତ୍ୱ:

  • ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ପାଇଁ ଉଦ୍ଧିଷ୍ଟ ରଥ ନିର୍ମାଣ ଆରମ୍ଭ
  • ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚନ୍ଦନଯାତ୍ରାର ଶୁଭାରମ୍ଭ ଏହି ଦିନ ହୋଇଥାଏ
  • ବଳଦେବଜୀଉ ମନ୍ଦିରରେ କୃଷିର ଆରାଧ୍ୟ ଦେବ ହଳାୟୁଧ ବଳରାମଙ୍କର ରେବତୀଙ୍କ ସହ ବିବାହୋତ୍ସବ ଅନୁଷ୍ଠିତ ହୋଇଥାଏ
  • ପରଶୁରାମ ଓ ଜୟଦେବଙ୍କ ଜୟନ୍ତୀ
  • ବଦ୍ରୀନାଥ ଧାମ ଏହି ଦିନ ଖୋଲାଯାଇଥିବା ବିଧି ରହିଛି
  • ସତ୍ୟ ଯୁଗର ପ୍ରାରବ୍ଧ ଦିବସ ରୂପେ ଗ୍ରହଣ କରାଯାଇଛି ।