ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷର ଗଣନା ପାଇଁ ସୌରମାନ ଗଣନା ଏବଂ ଚାନ୍ଦ୍ରମାନ ଗଣନା ଏଭଳି ଦୁଇଟି ପଦ୍ଧତି ରହିଅଛି । ସୌରମାନ ଗଣନାନୁଯାୟୀ ସୂର୍ଯ୍ୟଙ୍କ ସଂକ୍ରମଣ ଗତିକୁ ଲକ୍ଷ୍ୟ କରାଯାଇ ବର୍ଷ ଏବଂ ମାସର ଗଣନା କରାଗଲା ବେଳେ ଚାନ୍ଦ୍ରମାନ ପଦ୍ଧତିରେ ଚନ୍ଦ୍ରଙ୍କ କ୍ଷୟ ଏବଂ ବୃଦ୍ଧିକୁ ଲକ୍ଷ୍ୟ କରାଯାଇ ବର୍ଷ ଓ ମାସର ଗଣନାହୁଏ । ଚାନ୍ଦ୍ରମାନ ପଦ୍ଧତିରେ ପୂର୍ଣ୍ଣିମାଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ମାସ ଗଣନା ହୁଏ । କିନ୍ତୁ ସୌରମାନ ପଦ୍ଧତି ଏହାଠାରୁ ସଂପୂର୍ଣ୍ଣ ଭିନ୍ନ । ପୃଥିବୀରେ ଥିବା କ୍ରାନ୍ତିବୃତ୍ତକୁ ବାର ଭାଗରେ ବିଭକ୍ତ କରା ଯାଇ ଏହି ବାର ଭାଗକୁ ବର୍ଷର ବାରମାସ ହିସାବରେ ଗଣନା କରାଯାଇଥାଏ | ଜ୍ୟୋତିଷ ଶାସ୍ତ୍ରର ପଦ୍ଧତି ଅନୁସାରେ କ୍ରାନ୍ତି ବୃତ୍ତର ପ୍ରତ୍ୟେକ ଭାଗକୁ ଗୋଟିଏ ଗୋଟିଏ ରାଶିବୋଲି ଗଣନା କରାଯାଇଥାଏ । ନିୟମାନୁସାରେ ଆମର ବୈଶାଖ, ଜ୍ୟେଷ୍ଠ, ଆଷାଢ ଶ୍ରାବଣ, ଭାଦ୍ରବ, ଆଶ୍ୱିନ୍ନ, କାର୍ତ୍ତିକ, ମାର୍ଗଶୀର, ପୌଷ, ମାଘ, ଫାଲ୍ଗୁନ ଓ ଚୈତ୍ର ଏମିତି ବାରଟି ମାସକୁ ଜ୍ୟୋତିଷ ଶାସ୍ତ୍ରରେ କ୍ରମାନ୍ୱୟରେ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ,ମକର, କୁମ୍ଭ ଓ ମୀନ ପ୍ରଭୃତି ବାରଟି ରାଶିରେ ସୂଚିତ କରାଯାଇଥାଏ । ସୌରମାନ ଗଣନାନୁସାରେ ସୂର୍ଯ୍ୟ ଗୋଟିଏ ରାଶିରେ ଗୋଟିଏମାସ ଅବସ୍ଥାନ କରି ଅନ୍ୟରାଶିକୁ ଗମନ କରଥାନ୍ତି । ଅନ୍ୟ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନର ପ୍ରଥମ ଦିନକୁ ସେହି ମାସର ପ୍ରଥମ ଦିନ ବା ସଂକ୍ରାନ୍ତି ବୋଲି ଧରାଯାଇଥାଏ ।

ଭାରତବର୍ଷରେ ପ୍ରୟତଃ ବିଭିନ୍ନ ରାଜ୍ୟର ପଞ୍ଜିକା ଗଣନା ଅନୁସାରେ ଭିନ୍ନ ଭିନ୍ନ ଦିନରେ ନବବର୍ଷ ପାଳନ ପ୍ରଥା ରହିଆସିଛି । ସେହିପରି ଓଡ଼ିଆ ଗଣନା ଅନୁସାରେ ଏହିଦିନରୁ ଓଡ଼ିଆ ନବବର୍ଷର ପ୍ରାରମ୍ଭ ଭାବରେ ପାଳନ ହୋଇଥାଏ । ବୈଜ୍ଞାନିକ ମତାନୁସାରେ ଉତ୍ତର ଗୋଲାର୍ଦ୍ଧ ଏବଂ ଦକ୍ଷିଣ ଗୋଲାର୍ଦ୍ଧ ଭାବରେ ବିଷୁବ ରେଖା ପୃଥିବୀକୁ ଦୁଇଭାଗରେ ବିଭକ୍ତ କରିଛି । ଏହିଦିନ ସୂର୍ଯ୍ୟ ଦକ୍ଷିଣ ଗୋଲାର୍ଦ୍ଧରୁ ଉତ୍ତରକୁ ଗତିକରି ବିଶୁବ ରେଖା ଉପରେ ଅବସ୍ଥାନ କରିଥାନ୍ତି ଏବଂ ଧିରେ ଧିରେ ଉତ୍ତର ଗୋଲାର୍ଦ୍ଧରେ ସୂର୍ଯ୍ୟଙ୍କର ଆଗମନ ବଢ଼ିଚାଲିଥାଏ । ଆମର ଭାରତ ବର୍ଷ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ହୋଇଥିବାରୁ ଏହଠାରେ ସୂର୍ଯ୍ୟଙ୍କର କିରଣ ଧିରେ ଧିରେ ପ୍ରଖର ହେବାକୁ ଲାଗିଥାଏ । ବିଶୁବରେଖା ଉପରେ ସୂର୍ଯ୍ୟଙ୍କର ଅବସ୍ଥାନ ପାଇଁ ଏହିଦିନ‌ଟିକୁ ବିଶୁବ ସଂକ୍ରାନ୍ତି ଭାବରେ ମଧ୍ୟ ଧରାଯାଏ । ଏହିଦିନ‌କୁ ଓଡ଼ିଶାରେ ବର୍ଷର ପ୍ରଥମ ଦିନ ଭାବରେ ଗଣନା କରାଯାଏ । ଏହି ଦିନ‌କୁ ମଧ୍ୟ ସୂର୍ଯ୍ୟଙ୍କର ଉତ୍ତରାୟନ ଭାବରେ କେତେକ ସ୍ଥାନରେ ପାଳନ କରାଯାଇଥାଏ ।

ସୂର୍ଯ୍ୟଙ୍କର ଉତ୍ତରାୟନ ଗତିପରେ ସୂର୍ଯ୍ୟକିରଣ ଧିରେ ଧିରେ ପ୍ରଖର ହେବାକୁ ଲାଗିଥାଏ, ତେଣୁ ଏହି ସମୟରେ ସୂର୍ଯ୍ୟଙ୍କର ପ୍ରଖର ତାପ ଯୋଗୁ ନଦୀ, ନାଳ, ପୁଷ୍କରିଣୀ ଓ କୂପ ଆଦି ଶୁଖିଯାଉଥିବାରୁ ଜୀବ ଜଗତ ସହିତ ବୃକ୍ଷ ଜଗତ ମଧ୍ୟ ଜଳାଭାବର ବିଶେଷ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏଣୁ ପ୍ରାୟତଃ ଏହିଦିନଠାରୁ ବିଭିନ୍ନ ସ୍ଥାନରେ ଜଳଛତ୍ରମାନ ଖୋଲାଯାଇ ମୁକ୍ତରେ ଲୋକମାନଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇଦିଆଯାଇଥାଏ । ଆମର ସନାତନ ଧର୍ମାନୁସାରେ ଜଳଦାନଠାରୁ ବଳି ପୁଣ୍ୟ କାର୍ଯ୍ୟ ଆଉ କିଛି ନାହିଁ । ତେଣୁ ଏହିଦିନମାନଙ୍କରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁସ୍ଥାନଙ୍କ ତରଫରୁ ଜଳଦାନ କାର୍ଯ୍ୟ କରାଯାଇଥାଏ । ଏହା ସ‌ହ ବୃକ୍ଷମୂଳରେ ଜଳଦାନ କରିବାର ପ୍ରଥା ବୋଧହୁଏ ଆମ ସଂସ୍କୃତିରେ କାହିଁ କେଉଁ ଆବାହ‌ମାନ‌କାଳରୁ ରହିଆସିଛି । ପ୍ରାୟତଃ ପ୍ରତ୍ୟେକ ଘର ଆଗରେ ତୁଳସୀ ଚଉରାରେ ନିତିଦିନ ସକାଳେ ଲୋକେ ଜଳ ଢାଳିଥାନ୍ତି । ମାତ୍ର ଏହିଦିନ ତୁଳସୀଗଛ ସମେତ କିଛି ମାନସିକ ବୃକ୍ଷ ଯେପରିକି ବର-ଅଶ୍ୱତ‌ଥ୍ ଆଦି ଗଛମାନଙ୍କରେ ଜଳ ଅର୍ପଣ କରାଯାଇଥାଏ । ବୋଧ‌ହୁଏ ସୂର୍ଯ୍ୟଙ୍କର ପ୍ରଖର କିରଣ ଦାଉରୁ ଏହି ବୃକ୍ଷସବୁକୁ ରକ୍ଷା କରିବା ପାଇଁ ଏପରି କରାଯାଉଥାଇପାରେ । ମୁଖ୍ୟତଃ ବୈଶାଖ ପାଖ ସଂକ୍ରାନ୍ତିଠାରୁ ତୁଳସୀ ଗଛ ଉପରେ ଏବଂ ଅନ୍ୟାନ୍ୟ ଗଛ ଦେହରେ ଏକ ମାଟି ନିର୍ମିତ ଛୋଟ କଳସୀରେ ଛିଦ୍ର କରାଯାଇ ବିଭିନ୍ନ ଉପାୟରେ ସଂଯୋଗ କରାଯାଇଥାଏ । ଏହି କଳସୀରେ ଜଳଢାଳିବା ପରେ ସେହି ଛିଦ୍ର ଦେଇ ଧିରେ ଧିରେ ଜଳ ଗଛ ଉପରେ ପଡ଼ିଥାଏ, ଫଳରେ ଗଛଟି ଟାଣ ଖରାରେ ମଧ୍ୟ ସତେଜ ରହିଥାଏ । ଟାଣ ଖରାରେ ଗଛଟିକି କିଛି ଜଳ ଦେଇ ଆଶ୍ୱସ୍ତ ଅନୁଭବ କରାଉଥିବାରୁ ଅନେକ ପୁଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ଏହିଦିନଠାରୁ ଗଛ ଉପରେ ଜଳଦାନ କରିବା ସ‌ହ ପୂର୍ବଜଙ୍କ ସମାଧି ଉପରେ ମଧ୍ୟ ଏହିଭଳି ଭାବରେ ଜଳଦାନ କରାଯାଇଥାଏ । ଆଉ କେତେକ ଘର ସାମ୍ନାରେ ମଧ୍ୟ ଜୀବଜନ୍ତୁଙ୍କ ପାଇଁ ଜଳଦାନର ବ୍ୟବସ୍ଥା କରାଯାଇଥାଏ ।

ତୁଳସୀ ଚଉରା ଉପରେ ବୈଶାଖମାସରେ ଜଳସମର୍ପଣ ବ୍ୟବସ୍ଥା ।

ପଣା ସଂକ୍ରାନ୍ତି ଦିନଠାରୁ ବାୟୁର ଗତିମଧ୍ୟ ପ୍ରଖର ହୁଏ । ସୂର୍ଯ୍ୟଙ୍କର ଅତ୍ୟଧିକ କିରଣ ଯୋଗୁଁ ଅଗ୍ନିଙ୍କର ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଏଣୁ ଉଭୟ ଅଗ୍ନି ଏବଂ ବାୟୁର ପ୍ରଖରଗତିରୁ ରକ୍ଷା ପାଇବା ପାଇଁ ହନୁମାନ ଜୟନ୍ତୀ ମଧ୍ୟ ପାଳନ କରାଯାଏ । କାରଣ ମହାବୀର ହ‌ନୁମାନ ସୂର୍ଯ୍ୟଙ୍କର ଶିଷ୍ୟ ଏବଂ ସେ ବାଳ ଅବସ୍ଥାରେ ସୂର୍ଯ୍ୟଙ୍କୁ ଖାଦ୍ୟ ଭାବି ଭକ୍ଷଣ କରିଦେଇଥିଲେ, ତେଣୁ ବିପଦରେ ହ‌ନୁମାନ ଅଗ୍ନି ଦାଉରୁ ସାହା ହେବେ ବୋଲି ଆଶା ରହିଥାଏ । ତେଣେ ହ‌ନୁମାନ ସ୍ୱୟଂ ବାୟୁଦେବଙ୍କର ପୁତ୍ର ହୋଇଥିବା ବେଳ ବାୟୁଙ୍କ ପ୍ରକୋପ ତାଙ୍କ ଉପରେ ପଡ଼ିନଥାଏ । ତେଣୁ ଏହିଦିନରେ ହ‌ନୁମାନଙ୍କୁ ଆବାହ‌ନ କରାଯାଇଥାଏ ।

ଏହିଦିନରେ ମଧ୍ୟ ବିଭିନ୍ନ ଦେବାଦେବୀଙ୍କ ପାଖରେ ପଣାଭୋଗ ଲାଗି ହେବାର ଦ୍ରଷ୍ଟବ୍ୟ ରହିଛି । ଏହିଦିନରେ ବାବା ଆଖଣ୍ଡଳମଣିଙ୍କ ନିକଟରେ ଭୋଗ ଲାଗୁଥିବା ପଣା ସମସ୍ତ ରିଷ୍ଟ ଖଣ୍ଡନ କରିବା ସ‌ହ ଏକ ଔଷଧି ଭାବରେ କାର୍ଯ୍ୟ କରେ ବୋଲି ବିଶ୍ୱାସ ରହିଛି । ଏହି ସଂକ୍ରାନ୍ତି ଦିନ ବିଭିନ୍ନ ମନ୍ଦିର ଏବଂ ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ବିଭିନ୍ନ ସ୍ଥାନରେ ପଣା ବଣ୍ଟନ ମଧ୍ୟ କରାଯାଇଥାଏ । ଘଟଗାଁର ମାଆ ତାରିଣୀଙ୍କର ପଥର ମୂର୍ତ୍ତି ଏହିଦିନ ହିଁ ବର୍ଷରେ ଥରୁଟିଏ ପୂଜାପାଇଥାଏ । ଘନ ଜଙ୍ଗଲ ମଧ୍ୟରେ ବାଘ, ସିଂହ‌ଙ୍କ ଗ‌ହଣକୁ ସେଦିନ ନିଜେ ଦେହୁରୀ ଏବଂ ଭକ୍ତମାନେ ଚାଲିଚାଲି ଯାଇଥାନ୍ତି । ଏହିଦିନ ମାଆଙ୍କ ବେଢ଼ା ପାଖାପାଖି ବାଘ, ସିଂହ‌ମାନେ ବୁଲୁଥିଲେ ହେଁ କୌଣସି ଭକ୍ତଙ୍କର କିଛି ବି କ୍ଷତି କରିନ୍ତି ନାହିଁ ବୋଲି ଲୋକ‌କଥା ରହିଛି ।

ବେଲରୁ ପ୍ରସ୍ତୁତ ପଣା । ମୁଖ୍ୟତଃ ପଣା-ସଙ୍କ୍ରାନ୍ତିରେ ବେଲପଣା ଭୋଗ ଲାଗି କରାଯାଇଥାଏ ।