ପାତର ଅନ୍ତର

ମୋତେ ଏକୁଟିଆ ଆସିବାର ଦେଖି ଖୁଡି ପଚାରିଲେ, “ଝିଅକୁ ଆଣିଲୁନି ଟିକେ?” 
 “ଶୋଇ ପଡିଥିଲା ।” ଚକୋଲେଟ ପ୍ୟାକେଟଟା ଖୁଡିଙ୍କ ହାତକୁ ବଢ଼େଇ ଦେଇ କହିଲି । 
 “ଏତେ ଶୀଘ୍ର ! ଏ ସଞ୍ଜ ବେଳଟାରେ ଶୋଇ ପଡୁଛି !!”
 “ହଁ ପରା । ଗାଁ କୁ ଆସିଲେ ପିଲାମାନଙ୍କ ସହ ଦିନସାରା ଖେଳ । ସନ୍ଧ୍ୟା ହେଉ ହେଉ ଶୋଇ ପଡୁଛି ।” 
 ଦାଣ୍ଡ ଘରେ ମୋତେ ବସିବାକୁ କହି ଭିତରକୁ ଅନେଇ ଭାଉଜଙ୍କ ଉଦ୍ଦେଶ୍ୟରେ କହିଲେ ଖୁଡି, 
 “ଅରୁ ଆସିଲାଣି । ଫ୍ରୀଜରୁ ଥଣ୍ଡାଟା ଆଣିକି ଦେଲୁ ।”
 
 ଚେୟାରଟା ଟିକେ ଆଗକୁ ଟାଣି ଆଣି ବସିପଡି ଚାରିଆଡକୁ ଆଖି ବୁଲେଇ ଆଣିଲି । ବିଭିନ୍ନ ରଙ୍ଗର ବେଲୁନରେ ସଜା ହୋଇଛି ଦାଣ୍ଡଘରଟି । ରଙ୍ଗୀନ ଜରିର ଝାଲିରି ଲଗା ଯାଇଛି କାନ୍ଥ ଓ କବାଟରେ । ଧାଡ଼ି ଧାଡ଼ି କରି ଦୁଇପଟେ କିଛି ଚେୟାର ଓ ଠିକ ମଝିରେ ରଖା ଯାଇଛି ମାଟିଆ ରଙ୍ଗର ଗୋଟେ ଟେବୁଲ । ସାମନା କାନ୍ଥର ଠିକ ମଝିଆମଝି ଧଳା ବୋର୍ଡରେ ଲେଖା ଯାଇଛି “Happy Birthday RAJA”.
 
 ଆଧୁନିକତାର ସ୍ପର୍ଶ ଏବେ ଗାଁକୁ ଚାଲି ଆସିଲାଣି । ଜନ୍ମଦିନ ସେଲିବ୍ରେସନଟା ଆମ ପିଲାଦିନେ ଏମିତି ନଥିଲା । ସକାଳୁ ଗାଧୋଇ ସାରି ନୂଆ ଡ୍ରେସ ପିନ୍ଧା ହେବ । ବୋଉ କି ଜେଜେମା ମୁଣ୍ଡରେ ଲଗେଇ ଦେବେ ଚନ୍ଦନ ଟିପା । ତୁଳସୀ ଚଉଁରା ପାଖରେ ପିଢା ପକେଇ ବସିଲା ପରେ କରାଯିବ ଛୋଟ କାଟର ପୂଜା । କଦଳୀ, ନଡ଼ିଆ ଓ ଚକୁଳି ପିଠା ଭୋଗ । ପାଖ ପଡ଼ିଶା ଦି ଚାରି ଘରେ ବଣ୍ଟା ହେବ ଚକୁଳି ପିଠା । ଆଉ ଯଦି କିଏ ଅଧିକ ବଢ଼େଇକି ପାଳିବାକୁ ଚାହିଁଲେ ତେବେ ଏସବୁ ସହିତ ହେବ କ୍ଷୀରି ଓ ସନ୍ଧ୍ୟାରେ ସତ୍ୟ ନାରାୟଣ ପୂଜା ଏବଂ ଶିରିଣି ଭୋଗ ।
 
 ସମୟ ବଦଳୁଛି । ତା ସହିତ ବଦଳୁଛି ଆମ ପରମ୍ପରା, ଜୀବନ ଶୈଳୀ ଓ ପସନ୍ଦ ନାପସନ୍ଦ ।
 
 “କେକ୍ କଟାଯିବାର ଆୟୋଜନ ହୋଇଛି ବୋଧେ ।” ଅଳ୍ପ ହସି ଖୁଡ଼ିଙ୍କୁ ପଚାରିଲି, “ଆଉ ସନ୍ତୋଷ କୁଆଡେ ଗଲା? ଦେଖା ନାହିଁ ତା’ର ।”
 
 “କେକ୍ ଆଣିବାକୁ ବଜାରକୁ ଯାଇଥିଲା । ଏଇ ସାଙ୍ଗେ ସାଙ୍ଗେ ଆସିଯିବ ।” 
 
 ସନ୍ତୋଷ ମୋ ପିଲାଦିନର ସାଙ୍ଗ । ଗାଁରେ ଦୋକାନଟିଏ ଦେଇଛି । ଡାଲି ଚାଉଳ ଠାରୁ ପାନ ସିଗାରେଟ ପର୍ଯ୍ୟନ୍ତ ସବୁକିଛି ମିଳେ ତା ଦୋକାନରେ । ଆଜି ତା ପୁଅର ଜନ୍ମଦିନ । ଦୁଇ ଝିଅ ପରେ ହୋଇଥିଲା ଏ ପୁଅଟି । ଆଜି ସକାଳେ ଗାଁ ମୁଣ୍ଡରେ ଦେଖା ହେଲା ବେଳେ ବଡ଼ ଜୋରରେ କହିଲା, “ତୋ ଝିଅକୁ ନେଇ ସନ୍ଧ୍ୟାରେ ଆମ ଘରକୁ ଯେମିତି ହେଲେ ଆସିବୁ।”
 
 ଗାଁ କୁ ଆସିଲେ ଆଉ ସାଙ୍ଗସାଥୀଙ୍କ ସହ ଭେଟ ମିଳିବା ସପନ ହେଲାଣି । ଅଧେ ନିଜ କାମଧନ୍ଦାରେ ବ୍ୟସ୍ତ ତ ଆଉ ଅଧେ ଗାଁ ଛାଡି ଦେଲେଣି ଜୀବନ ଜୀବିକା ପଛରେ ଗୋଡେଇ । “ଭଲ ହେଲା । ଏଇ ସୁଯୋଗରେ ଦୁଇ ସାଙ୍ଗ ବସି ଗପସପ ହେବା।” ମୁଁ କହିଦେଇ ଆସିଥିଲି ।
 
 ଦାଣ୍ଡ ଘରେ ବସି ଖୁଡ଼ିଙ୍କ ସହ ଏଣୁ ତେଣୁ ଗପସପ ଚାଲିଲା । ସନ୍ତୋଷର ବୋଉକୁ ମୁଁ ଖୁଡ଼ି ବୋଲି ଡାକେ । ମନେ ମନେ ସନ୍ତୋଷର ଆସିବାକୁ ଅପେକ୍ଷା କରୁଥାଏ । ଭିତର ଘରୁ ପିଲାମାନଙ୍କର ପାଟି ଶବ୍ଦ ଶୁଣି ପଚାରିଲି ଖୁଡ଼ିଙ୍କୁ, “ପିଲାମାନେ ସବୁ ଭିତରେ ଖେଳୁଛନ୍ତି ବୋଧେ?”
 “ହଁ । ଛୁଆ ସବୁ ଏଠି ବସି ଛିଣ୍ଡା ଛିଣ୍ଡି କରୁଥିଲେ । ସମସ୍ତଙ୍କୁ ଭିତରେ ଘରେ ବସେଇ ଦେଇଛୁ ।” ଖୁଡ଼ି ପାନ ଚୋବାଉ ଚୋବାଉ କହିଲେ ।
 
 ଠନ୍ କରି କାଚ ପଡି ଭାଙ୍ଗିବାର ଶବ୍ଦଟିଏ ହେଲା ଭିତର ଘରୁ । ତା ପରେ ଶୁଭିଲା ଭେଁ କରି କାନ୍ଦ । କଣ ହେଲା ବୋଲି ଉଠି ଦେଖିବାକୁ ଗଲେ ଖୁଡ଼ି । ତାଙ୍କ ପଛେ ପଛେ ମୁଁ ।
 
 କାଚ ଗ୍ଲାସଟିଏ ତଳେ ପଡି ଭାଙ୍ଗି ଯାଇଛି । ପାଖରେ ବସି କାନ୍ଦୁଛି ସନ୍ତୋଷ ସାନ ଝିଅ । ଘଟଣାଟା ହେଲା, ଭାଉଜ (ସନ୍ତୋଷର ସ୍ତ୍ରୀ) କାଚ ଗ୍ଲାସରେ ମୋ ପାଇଁ କୋଲଡ ଡ୍ରିଙ୍କସ ଆଣିଲା ବେଳେ ସାନ ଝିଅଟି ଖେଳୁ ଖେଳୁ ଆସି ବାଡେଇ ହୋଇଯାଇଛି । ଗ୍ଲାସଟା ଖସି ପଡିଛି ହାତରୁ । ସେଇ ରାଗରେ ଭାଉଜ ବସେଇ ଦେଇଛନ୍ତି ଦୁଇ ଚାପୁଡ଼ା ସାନ ଝିଅକୁ ।
 
 ଖୁଡି ଯାଇ ସାନ ଝିଅକୁ ଉଠେଇ ଆଣିଲେ । “ତୋର ବୁଦ୍ଧି ସୁଦ୍ଧି କିଛି ନାହିଁ ନା କଣ । ଜନ୍ମଦିନରେ ପିଲାଙ୍କୁ ମାରନ୍ତି? ଛୁଅଟାକୁ କେମିତି ଜନ୍ମଦିନଟାରେ ମାରୁଥିଲୁ?”
 
 ଭାଉଜ ଭଙ୍ଗା କାଚ ଗୋଟାଉ ଥିଲା ବେଳେ ମୋତେ ଦେଖି ଆଉ କିଛି ଉତ୍ତର ଦେଲେନି ଖୁଡିଙ୍କୁ । ଟିକେ ଶାନ୍ତ ହୋଇ କହିଲେ “ଦେଖୁନ କେମିତି ବଦମାସ ହେଉଛନ୍ତି ।” 
 
 ଖୁଡ଼ି ନାତୁଣୀକୁ ଧରି ଦାଣ୍ଡ ଘରକୁ ନେଇ ଆସିଲେ । ମୁଁ ତାଙ୍କ ପଛେ ପଛେ ଏପଟ ଘରକୁ ଆସି ପଚାରିଲି ଖୁଡିଙ୍କୁ, “ଜନ୍ମଦିନ କାହାର? ପୁଅର ଜନ୍ମଦିନ ପରା?”
 ଝିଅକୁ କାଖରେ ଧରି ବୋଧ କରୁ କରୁ ଖୁଡି କହିଲେ, “ପୁଅ ଆଉ ସାନ ଝିଅ.. ଦୁଇ ଜଣ ଯାକ ଗୋଟିଏ ତିଥିରେ ଜନ୍ମ ହୋଇଛନ୍ତି । ପୁଅ ସାନଟା ବୋଲି ତାର ଖାଲି କେକ୍ କଟା ହେଉଛି ।”
 “କାହିଁ ଝିଅ ତ ନୂଆ ଡ୍ରେସ ପିନ୍ଧିନି କି ଚନ୍ଦନ ଟିପା ଲଗେଇନି ?” ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇ ପଚାରିଲି ।
 “କେତେ ଟଙ୍କା ସେ ଦୋକାନଟାରୁ ରୋଜଗାର ହଉଛି ଯେ ସବୁ ପିଲାଙ୍କ ପାଇଁ କରିବ ! ତମ ଭଳିଆ ଚାକିରୀ ବାକିରି କଣ ଅଛି ତା’ର!” ମୁହଁ ଶୁଖେଇ କହିଲେ ଖୁଡ଼ି ।
 
 ଆହୁରି କିଛି କହୁଥିଲେ ଖୁଡ଼ି । କିନ୍ତୁ ସେସବୁ ଆଉ ମୋ ମୁଣ୍ଡ ଭିତରେ ପଶୁ ନଥିଲା । ରୁନ୍ଧି ହୋଇ ପଡୁଥିଲି ମୁଁ ଏମାନଙ୍କର ପାତର ଅନ୍ତର ଓ ମାନସିକ ଦାରିଦ୍ର୍ୟତାକୁ ଦେଖି ।