ଭୂତ ଗପ — (ଭାଗ ୧)

ଅଶୀ ଦଶକର ଶେଷ ଭାଗର କଥା ଇଏ ।

କଟକଠାରୁ ପ୍ରାୟ ପଚାଶ କିଲୋମିଟର ଦୂରରେ ଅବସ୍ଥିତ ଗାଁ ଟିଏ । ନାଁ ତା’ର ପଦ୍ମପୁର । ଆଜିକାଲି ଭଳି ଯାତାୟାତର ବିଶେଷ ସୁବିଧା ନଥାଏ ସେତେବେଳେ । କଟକ ଆସିବାକୁ ହେଲେ ସାଇକେଲ କିମ୍ବା ରିକ୍ସାରେ ପାଖାପାଖି ଦଶ କିଲୋମିଟର ଆସିଲା ପରେ ଯାଇ ପଡେ ଜାତୀୟ ରାଜପଥ । ଏଇଠୁ ଧରିବାକୁ ହୁଏ କଟକ ପାଇଁ ବସ୍ । ପଦ୍ମପୁରକୁ ଲାଗି ଦୁଇ ଚାରୋଟି ଛୋଟ ଗାଁ ଆଉ ତା’ପରେ ଏକ ଲମ୍ବା ଶୁନଶାନ ପାଟ ରାସ୍ତା । ରାସ୍ତାର ଦୁଇ ପାଖେ ଖାଲି ବିଲବାଡ଼ି ନହେଲେ ଗୋଚର ପଡିଆ । ଦୁଇ ତିନି କିଲୋମିଟରର ଲମ୍ବା ଏହି ପାଟ ରାସ୍ତାଟି ପାର ହେଲେ ଆସେ ନାଲି ସଡକ । ପ୍ରାୟ ଆଠ କିଲୋମିଟର ଲମ୍ବା ଏହି ନାଲି ସଡକ ଯାଇ ଛୁଇଁଛି ଜାତୀୟ ରାଜପଥକୁ । ଏ ନାଲି ସଡ଼କକୁ ଲାଗି ରାସ୍ତାର ଦୁଇ ପଟେ ଅଛି କିଛି କିଛି ବ୍ୟବଧାନରେ ଗାଁ ଗଣ୍ଡା ସବୁ । ମୋଟ ଉପରେ ଏଇ ହେଲା ପଦ୍ମପୁରରୁ କଟକକୁ ବିନା ଗୁଗୁଲ ମ୍ୟାପରେ ଯିବାପାଇଁ ବାଟ । 
 
 ପଦ୍ମପୁରରେ ସେତେବେଳେ ଏମିତି ଗୋଟେ ଘଟଣା ଘଟିଲା ଯାହା କିଛି ବର୍ଷ ପାଇଁ ଆଖପାଖ କୋଡିଏ ଖଣ୍ଡ ମୌଜାରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏବେବି ସେକଥା ମନେ ପଡିଲେ ଲୋମମୂଳ ଟାଙ୍କୁରି ଉଠେ । ପଦ୍ମପୁର ଗାଁ’ର ଧନେଶ୍ୱର ପଢିଆରି । ଡାକ ନାଁ ଧନୁ ବା ଧନୁଆ । ବୟସ ୨୫/୨୬ ହେବ । ସାବନା ରଙ୍ଗ, ସାଧାରଣ ସ୍ୱାସ୍ଥ୍ୟ, ହାଡୁଆ ମୁହଁ । ଘଟଣାଟି ଘଟିବା ଦିନ କୌଣସି କାମରେ ଧନୁ ଯାଇଥିଲା କଟକ । କଟକରେ କାମ ସରୁ ସରୁ ଅନେକ ଡେରି ହୋଇଗଲା । ସେ ସମୟରେ ସନ୍ଧ୍ୟା ସାତଟା ପରେ କଟକ ବସଷ୍ଟାଣ୍ଡରୁ ଏପଟ ଲାଇନର ବସ ସବୁ ମିଳିବା କଷ୍ଟ । ରାତିରେ ଯାଉଥିବା ନାଇଟ କୋଚ୍ ବସ ସବୁ କେବଳ ମାତ୍ର ଭରସା । କଣ୍ଡକ୍ଟରକୁ କେତେ କୁହାବୋଲା କରି ସେସବୁ ବସରେ ଆସିବାକୁ ହୁଏ । ରାତି ଆଠଟା ସାଡେ ଆଠଟା ବେଳକୁ ଏମିତି ଏକ ରାତ୍ରି ବସରେ ଚଢି କଟକରୁ ଘରକୁ ଫେରିଲା ଧନୁ ।
 
 ଜାତୀୟ ରାଜପଥ କଡ଼ ଛକରେ ଗାଡି ପହଞ୍ଚିଲା ବେଳକୁ ରାତି ଆସି ହୋଇଥାଏ ଦଶଟା । ଛକ ସେତେବେଳକୁ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଗଲାଣି । ବୁଲା କୁକୁର କେତୋଟି ଯାହା ଏପଟ ସେପଟ ହେଉଥାନ୍ତି । ସକାଳେ ଗଲାବେଳେ ଛକ ମୁଣ୍ଡରେ ଥିବା ମିଠା ଦୋକାନି ଯଦୁ ପାଖରେ ନିଜ ସାଇକେଲଟି ରଖିଦେଇ ଯାଇଥିଲା ଧନୁ । ମିଠା ଦୋକାନ ଆଗରେ ମିଞ୍ଜି ମିଞ୍ଜି ହୋଇ ଜଳୁଥାଏ ବଲବଟିଏ । ଭିତରେ ତାଟି ଆଉଜାଇ ଶୋଇ ପଡିଥାଏ ଦୋକାନି ଯଦୁ । ଯଦୁକୁ ଉଠାଇ ତା ପାଖରୁ ସାଇକେଲ ନେଇ ଘରକୁ ଫେରିଲା ବେଳେ ତା’କୁ ବାରଣ କଲା ଯଦୁ ।
 
 “ଏତେ ରାତିରେ ଆଉ ନଯାଇ ଆମ ଦୋକାନରେ ଆଜି ଶୋଇପଡ । ସକାଳୁ ବଡ଼ି ଭୋରରୁ ଉଠି ଗାଁ’କୁ ଚାଲିଯିବୁ ।”
 
 “ସାଇକେଲରେ ଗଲେ ଅତି ବେଶୀରେ ଆଉ ଘଣ୍ଟାଏ ଲାଗିବ । ଏଗାରଟା ଭିତରେ ଯାଇ ପହଞ୍ଚିଯିବି ଘରେ । ତା’ପରେ ଘରେ କହିକି ଆସିନି । ରୋଷେଇ କରି ଅନେଇ ବସିଥିବେ ସମସ୍ତେ । ଖରାଦିନିଆ ରାତି । ଡର ଆଉ କଣ ! ଲୋକ କିଏ କେତେ ଦାଣ୍ଡ ପିଣ୍ଢାରେ ଶୋଇଥିବେ ନହେଲେ ଶୋଇଥିବେ ଗାଁ ମୁଣ୍ଡ ଚାନ୍ଦିନୀରେ । କିଛି ଅସୁବିଧା ହେବନି, ମୁଁ ଚାଲିଯିବି ।”
 
 ଯଦୁ କଥା ଆଉ କିଛି ନଶୁଣି ସାଇକେଲ ଧରି ଚାଲିଲା ଧନୁ ।
 
 କଳା କିଟିମିଟି ଅନ୍ଧାର ରାତି । ରାସ୍ତା କଡ଼ ଆମ୍ବ, ବଉଳ ଗଛର ପତ୍ର ଗହଳରୁ ବହୁଥାଏ ସୁଲୁସୁଲିଆ ପବନ । ଆକାଶରେ ଚିକିମିକି କରୁଥାଏ ଆକାଶେ ତାରା । ଅନ୍ଧାରରେ କା ଭାଁ କେଉଁଠି ମିଞ୍ଜି ମିଞ୍ଜି ହୋଇ ଜଳୁଥାଏ ଘର ଆଗରେ ଟଙ୍ଗା ହୋଇଥିବା ଇଲେକ୍ଟ୍ରି ବଲବ ଗୋଟେ ଅଧେ ।
 
 ଅନାବନା କଣ ସବୁ ଖିଆଲି ଭାବନା ଭିତରେ ଗୁଣୁଗୁଣୁ ହୋଇ ଗୀତ ଗାଇ ଗାଇ ଅନ୍ଧାର ରାତିରେ ସାଇକେଲରେ ଚାଲିଥାଏ ଧନୁ । ପାଟପୁର ଗାଁ ପାଖାପାଖି ଆସି ହୋଇଗଲାଣି ସେ । ଏହାପରେ ବାକି ରହିଲା ଖାଲି ପାଟ ରାସ୍ତାଟି । ଆଉ ତା’ପରେ ଆସିଯିବ ତା’ ଗାଁ ପଦ୍ମପୁର । ହଠାତ କଡ଼ କଡ଼ ହୋଇ ଗୋଟେ ଶବ୍ଦ ଶୁଭିଲା ସାଇକେଲର ପଛ ଚକରୁ । ଓହ୍ଲେଇ ଦେଖିଲା ଧନୁ । ସାଇକେଲର ପୁରୁଣା ଚେନଟା ଛିଣ୍ଡି ଯାଇଛି । ପାଟପୁର ଗାଁ ମନ୍ଦିର ପାଖ ଚାନ୍ଦିନୀରେ ଶୋଇଥାନ୍ତି କିଛି ଲୋକ । ସାଇକେଲଟି ଗଡେଇ ଗଡେଇ ଚାନ୍ଦିନୀ ପାଖରେ ପହଞ୍ଚିଲା ଧନୁ । ଚାନ୍ଦିନୀର ଗୋଟେ କଡ଼କୁ ତଉଲିଆ ପାରିଦେଇ ଶୋଇଥିଲା ବିଶିଆ । ବିଶିଆର ପତଳା ନିଦ । ଧଡ଼ କିନା ଉଠି ପଡିଲା ସେ । ଆଖି ମଳିମଳି ବାଉଁଶ ଖୁଣ୍ଟରେ ଓହଳି ଥିବା ଇଲେକ୍ଟ୍ରି ବଲବର ଆଲୁଅରେ ଚିହ୍ନିଲା ବିଶିଆ ।
 
 “କିରେ ଧନୁ ନା କିଏ? ଏତେ ରାତିରେ କୁଆଡେ ଯାଇଥିଲୁ?”
 
 “ଦାଦା, କଟକ ଯାଇଥିଲି କାମରେ । ଫେରୁଫେରୁ ଡେରି ହୋଇଗଲା ଟିକେ । ସାଇକେଲ ଚେନ୍ ଟା ତମରି ଗାଁ ପାଖରେ ଛିଡିଗଲା ।”
 
 “ଅନ୍ଧାର ରାତିଟାରେ ଏକୁଟିଆ ଆଉ କେମିତି ଯିବୁ? ଏଇଠି ଚାନ୍ଦିନୀରେ ଶୋଇପଡ । ଭୋରରୁ ଉଠି ଘରକୁ ଚାଲିଯିବୁ ।”
 
 “ନା, ଦାଦା । ଏଗାରଟା ହୋଇଛି ଏବେ । ଚାଲିକି ଗଲେ ଆଉ ଆଉ ପନ୍ଦର ମିନିଟ ଭଳିଆ ସମୟ ଲାଗିବ । ଚାଲି ଚାଲି ପଳେଇବି । ଦାଦା, ସାଇକେଲଟା ଏଇଠି ଚାବି ପକେଇ ରଖି ଦେଉଛି । କାଲି ସକାଳୁ କାହା ସାଙ୍ଗରେ ଆସି ସଜାଡିକି ନେଇଯିବି ।”
 
 “ହଉ ଯାହା ତୋ ଇଚ୍ଛା । ଦେଖି ଚାହିଁ ଯିବୁ ।”
 
 ମୁଣ୍ଡ ଟୁଙ୍ଗାରି ସାଇକେଲଟାକୁ ସେଇଠି ଡ଼େରିଦେଇ ଚାଲି ଚାଲି ବାହାରି ପଡିଲା ଧନୁ ।
 
 ନିଛାଟିଆ ପାଟ ରାସ୍ତା । ପାଟ ମଝିରେ ଚାଲି ଚାଲି ଯାଉଯାଉ କାହିଁକି କେଜାଣି ଭାରି ଛନକା ଛନକା ଲାଗିଲା ଧନୁକୁ । ଏତେ ବାଟ ସାଇକେଲ ଚଲେଇ ଆସିଲା ବେଳେ ତ ଡର ଭୟ କିଛି ଜଣା ପଡୁନଥିଲା । ଏବେ ଏମିତି ଛାନିଆ କାହିଁକି ଲାଗୁଛି କେଜାଣି । ପାଖରେ ଥିବା ବାଉଁଶ ବୁଦାରୁ କଟକଟ ଶବ୍ଦ ଶୁଭିଲା । ବାଉଁଶ ବୁଦାରୁ ଏମିତି ଶବ୍ଦ ଆସିବାଟା କିଛି ନୂଆ ନୁହେଁ । କିନ୍ତୁ ଧନୁକୁ କାହିଁକି କେଜାଣି ଆଜି ଏ ଶବ୍ଦ ଭାରି ଛାନିଆ କରି ପକାଉଥାଏ ।
 
 ପାଟକୁ ଲାଗି ଗୋଚର ପଡିଆଟି ହେଉଛି ପାଖ ଆଖ ଗାଁ’ର ଶଶ୍ମାନ ପଡିଆ । ଏଇଠି ପାଖଆଖ ଦୁଇ ଚାରି ଗାଁ’ର କେତେ ଯେ ଲୋକଙ୍କ ଶବ ପୋଡା ହୋଇଛି ତାହା କଳନା ବାହାରେ । ଏମିତିକି ଗାଈ କି କୁକୁରଟିଏ ମଲେ ତା ଶବକୁ ବି ଟାଣିଟାଣି ଆଣି ଏଇ ପଡିଆରେ ପକେଇ ଦେଇ ଯାଆନ୍ତି ଗାଁ ଲୋକେ ।
 
 ଏ କଣ ସବୁ ଭାବୁଛି ସେ । ମନରୁ ବାଜେ ଭାବନା ସବୁ ଦୂରେଇ ଦେବା ପାଇଁ ଅଷ୍ଟପ୍ରହରୀ କିର୍ତ୍ତନରେ ଗାଉଥିବା ଗୀତକୁ ବଡ଼ ପାଟିରେ ଗାଇ ଗାଇ ଚାଲିଲା ଧନୁ । ହେଲେ ମନରୁ ଡର ଜମା ଯାଉ ନଥାଏ । ଲମ୍ବା ରାସ୍ତା ଜଲଦି ଜଲଦି ସରୁ ନଥାଏ ଜମା । ମନେ ମନେ ଭାବିଲା, ରିକ୍ସା ଗୋଟେ ମିଳନ୍ତା କି । ଯେତେ ପଇସା ନେଉ ପଛେ ରିକ୍ସାରେ ବସି ପଳାନ୍ତି ।
 
 ଠିକ୍ ଏତିକି ବେଳେ ପଛରୁ ଶୁଭିଲା ଟ୍ରିଙ୍ଗ ଟ୍ରିଙ୍ଗ ଶବ୍ଦ ।
 
 ଅନ୍ଧାର ରାତି । ମୁହଁକୁ ମୁହଁ ଦିଶୁନି । ରିକ୍ସାଟିଏ ଚଲେଇ ପୁଣି କିଏ ଆସୁଛି !!
 
 ରିକ୍ସାଟି ଧନୁର ପାଖାପାଖି ଆସି ପହଞ୍ଚିଲା ।
 
 “ଭାଇ, ଆଗକୁ ଯାଉଛ କି? ମୋତେ ଟିକେ ନିଅନ୍ତନି ରିକ୍ସାରେ । ପଦ୍ମପୁର ଯାଏ ଯିମି ମୁଁ ।”
 
 ବ୍ରେକ ଲଗେଇ ଛିଡା କଲା ରିକ୍ସାକୁ ଲୋକଟି । ମୁଣ୍ଡ ହଲେଇ ସଂକେତ ଦେଲା ରିକ୍ସାରେ ବସିବା ପାଇଁ । ଧନୁ ରିକ୍ସାରେ ବସି ଗୋଟେ ଦୀର୍ଘଶ୍ଵାସ ଛାଡିଲା । ପିଣ୍ଡରେ ଯେମିତି ପ୍ରାଣଟା ପଶିଲା । ରିକ୍ସାବାଲାଟି ପେଡାଲ ମାରି ଗଡେଇଲା ରିକ୍ସାକୁ ଆଗକୁ । 
 
 ରିକ୍ସାବାଲାଟି ମୁଣ୍ଡରୁ ଗୋଡ଼ଯାଏ ଘୋଡେଇ ହୋଇଥାଏ କଳା ଲୁଗାଟିଏ । ଚଢିଲା ବେଳେ ତା ମୁହଁଟା ବି ଭଲକି ଦେଖି ପାରିଲାନି ଅନ୍ଧାରରେ । ଚୁପଚାପ କିଛି ନକହି ପେଡାଲ ମାରି ଚାଲିଥାଏ ରିକ୍ସାବାଲାଟି । ଅନ୍ଧାର ରାତି ହେଲେବି ରାସ୍ତା ଚିହ୍ନିବାରେ ଅସୁବିଧା ହେଉନଥାଏ । ଦୁଇ ପଟେ ଖୋଲା ବିଲ । ମୁଣ୍ଡ ଉପରେ ଚିକିମିକି ତାରାଭର୍ତ୍ତି ଆକାଶ । ବିଲ ମଝିରେ କେଉଁଠି ଆମ୍ବ କି ଜାମୁଗଛଟିଏ । ଅନ୍ଧାରରେ କଳା କମ୍ବଳ ଘୋଡେଇ ହୋଇ ବସିଲା ପରି ଦେଖାଯାଉଥାନ୍ତି ।
 
 ଶୁନଶାନ ପରିବେଶକୁ ହାଲକା କରିବାକୁ ଯାଇ ପଚାରିଲା ଧନୁ, “ ଭାଇ, କୁଆଡେ ଯାଇଥିଲ କି ଭଡା ନେଇ? ଏତେ ରାତିରେ ଫେରୁଛ? କୋଉ ଗାଁ’ରେ ତମ ଘର କି?”
 
 ରିକ୍ସାବାଲାଟି ସେମିତି ନିର୍ବାକ ହୋଇ ଚଲାଉଥାଏ ରିକ୍ସା । ଉଁ କି ଚୁଁ କିଛି ହେବାର ନାହିଁ । ନିଶାପାଣି ପକେଇ ଦେଇଛି ନା ଗଞ୍ଜେଇ ଭିଡି ଦେଇଛି !! ପୁଣିଥରେ ପଚାରିଲା ଧନୁ, “କଣ ଭାଇ, ଏମିତି ଚୁପଚାପ ଚାଲିଛ? କଣ ହୋଇଛି? ମନ ଭଲ ନାହିଁ ନା କଣ? କିଛି କହୁନ ଯେ?”
 
 ରିକ୍ସାବାଲାଟି ଏଥର ରିକ୍ସା ଅଟକାଇ ପଛକୁ ବୁଲି ଚାହିଁଲା । ଅନ୍ଧାରରେ ଘୋଡ଼େଇ ହୋଇଥିବା ଲୁଗା ଭିତରୁ ମୁହଁଟି ସ୍ପଷ୍ଟ ବାରି ହେଉନଥାଏ । ରିକ୍ସାବାଲା ବଢ଼େଇ ଦେଲା ତା’ ଡାହାଣ ହାତଟି ଧନୁ ଆଡକୁ । ଲୁଗା ଭିତରେ ହାତଟା ଦେଖାଯାଉ ନଥାଏ । ଧୀରେ ଧୀରେ ସେ ହାତ ଉପରୁ ପଛକୁ ଟାଣିନେଲା ଲୁଗା ।
 
 ହେ, ଭ..ଗ..ବା..ନ !! ଏ କଣ !!
 
 ଦେହ ଶୀତେଇ ଉଠିଲା ଧନୁର । ଝାଇଁ ଝାଇଁ ହୋଇଗଲା କାନ ଆଉ ମୁଣ୍ଡ । ଶୁନ୍ୟରେ ଭାସିବା ଭଳି ଲାଗିଲା ତାକୁ । 
 
 ହାତ ଜାଗାରେ ଥିଲା କେବଳ ହାଡ଼ । ମାଂସ, ଚମଡା କିଛି ନାହିଁ ତା’ ଉପରେ । କେବଳ ଧଳା ଲମ୍ବା ହାଡ଼ ଆଉ ହାଡ଼ ଆଗରେ ଆଙ୍ଗୁଳି ପାଞ୍ଚୋଟି । 
 
 ରିକ୍ସାରୁ ଡେଇଁପଡ଼ି ଚିତ୍କାର କରି ଗାଁ ଆଡକୁ ଧାଇଁଲା ଧନୁ । ଏକମୁହାଁ ହୋଇ ଧାଇଁଥାଏ ସେ । ଗାଁ’ମୁଣ୍ଡ ଠାକୁରାଣୀ ମନ୍ଦିର ପାଖରେ ଧଇଁସଇଁ ହୋଇ ଯାଇ ଲମ୍ବ କିନା ପଡିଗଲା ଧନୁ । ଦେହରୁ ବୋହୁଥାଏ ଗମଗମ ଝାଳ । ଧଇଁ ପେଲିଲା ଭଳି ନେଉଥାଏ ଗୋଟିକିଆ ଲମ୍ବା ନିଶ୍ଵାସ । ଚିତ୍କାର ଶୁଣି ଆଖପାଖରେ ଶୋଇଥିବା ଲୋକମାନେ ଧଡପଡ ହୋଇ ଉଠି ଧାଇଁ ଆସିଲେ । ଟର୍ଚ୍ଚ ଆଲୁଅ ମୁହଁକୁ ପକେଇ ଚିହ୍ନିଲେ ଧନୁକୁ । ହେଲେ ଧନୁର ଆଉ ଚେତା ନଥାଏ । ଚେତାଶୂନ୍ୟ ହୋଇ ପଡିଥାଏ ସେ ଗାଁ ଦାଣ୍ଡରେ..