ଓଡ଼ିଶୀ ସଙ୍ଗୀତ ଫର ଡମିଜ

ଚମ୍ପୂ ଛାନ୍ଦ ଚଉତିଶା ଆଉ ବାକିସବୁ

ଚିତ୍ର : ପ୍ରାଚିତେଶ ଶୁଭମ ଦାସ

ଓଡ଼ିଶାର ସଙ୍ଗୀତ ବହୁପ୍ରାଚୀନ । ପ୍ରାୟତଃ ସମସ୍ତ ପୁରୁଣା ସାହିତ୍ୟ ଗାନ ପାଇଁ ଉଦ୍ଦିଷ୍ଟ। କାବ୍ୟ ପରମ୍ପରାର ଏଡ଼େ ବ୍ୟାପକ ପ୍ରସିଦ୍ଧି ଥିବାରୁ ଏଗୁଡ଼ିକୁ ସ୍ୱରତାଳବଦ୍ଧ କରି ଶାସ୍ତ୍ରୀୟ ନିୟମାନୁସାରେ ଗାୟନ କରାଯିବାରୁ ଏହା ଶାସ୍ତ୍ରୀୟ ସଙ୍ଗୀତ କୁହାଗଲା ।

ତେବେ ସର୍ବପ୍ରାଚୀନ ଓଡ଼ିଆ ସାହିତ୍ୟ ହେଲେ ଚର୍ଯ୍ୟାପଦ । ପ୍ରାଚୀନ ବୌଦ୍ଧ ପରମ୍ପରାରେ ରଚିତ ଏହି ଗୀତଗୁଡ଼ିକ ଆଜିକାଲିର ରୁଚିରେ ଅମାର୍ଜିତ ଏବଂ ସ୍ଥାନେ ସ୍ଥାନେ ଅପ୍ରୀତିକର ହୋଇପାରେ । ଡାହୁକବୋଲିର ଏହି କବିମାନଙ୍କ ପ୍ରଭାବ ରହିଛି ।

ତା’ପରେ ଆସିଲେ ଦ୍ୱାଦଶ ଶତାବ୍ଦୀର ଜୟଦେବ, ଯେ କି ବିଶ୍ୱକୁ ଦେଲେ ରାଧାଙ୍କ ପ୍ରଥମ ଚିତ୍ର । ଶାସ୍ତ୍ରୀୟ ରାଗତାଳରେ ଶୁଦ୍ଧସଂସ୍କୃତ ଏପରି କୋମଳପଦ ସଂଯୋଜନା କଲେ ଯେ ଲୋକେ ସ୍ତବ୍ଧ ହୋଇ ଗଲେ ତାଙ୍କ କବିତାର ଉଚ୍ଚାରଣରେ ଜନ୍ମ ହେଉଥିବା ଚମତ୍କାର ଦ୍ୱାରା । ଉଦାହରଣ-

ଲଳିତ-ଲବଙ୍ଗ-ଲତା-ପରିଶୀଳନ-କୋମଳ-ମଳୟ-ସମୀରେ

କେବଳ ଗୋଟେ ଅକ୍ଷରରେ ପଦ ରଚନା କରିବା ନଥିଲା ତାଙ୍କ ଲକ୍ଷ୍ୟ, ଥିଲା କେବଳ ମଧୁରପଦାବଳୀରେ ରାଧାକୃଷ୍ଣ ପ୍ରେମ ବର୍ଣ୍ଣନା କରିବା । ଏହି ଜୟଦେବ ହିଁ ତାଙ୍କ ପରର ପାଖାପାଖି ସମସ୍ତ କବିଙ୍କ ‘ଟ୍ରିଗର୍’ ।

ଅଭିମନ୍ୟୁ ସାମନ୍ତସିଂହାର ତା ପରେ ଆସି ରଚିଗଲେ ‘ଶ୍ରୀରାଧା ବାତୁଳୀ’ ନିଜ ବିଦଗ୍ଧ ଚିନ୍ତାମଣିରେ । ଭଞ୍ଜେ ଜଟିଳ ନିୟମ ମଧ୍ୟରେ ରହି ମଧ୍ୟ ଭାବର ଏପରି ପରିସ୍ଫୁଟନ କଲେ ଯେ ଲୋକେ ତାଙ୍କ କବିତାକୁ ଗାଁ-ଗାଁରେ ଗାଇଲେ । କବି ବନମାଳୀ ପ୍ରତ୍ୟକ୍ଷଦର୍ଶନ କରି ଜଗନ୍ନାଥଙ୍କ ଯାତ୍ରା ବର୍ଣ୍ଣନା କରି ମର୍ମସ୍ପର୍ଶୀ ଓଡ଼ିଶୀ ଗୀତ ଲେଖିଲେ । ଭକ୍ତଚରଣ ଦାସ ‘ଆରେ ବାବୁ ଶ୍ୟାମଘନ’ ଓ ‘କହଇ ମନ ଆରେ’ ଲେଖି ଅମର ହୋଇଗଲେ । କବି ଗୋପାଳକୃଷ୍ଣ ଭକ୍ତି ଏବଂ ପ୍ରେମରସର ଗୀତ ରଚନା କଲେ । ତାଙ୍କରି ଲିଖିତ ‘କି ନାଦରେ ପ୍ରାଣ ସଂଗିନୀ’ ଓ ‘ଶ୍ୟାମକୁ ଜୁହାର’ର ସ୍ୱର ସଭିଙ୍କୁ ଛୁଇଁଦେଲା । ବନମାଳୀଙ୍କ ଭଳି ନିଜକୁ ଅତିକ୍ଳିଷ୍ଟ ଶବ୍ଦଠୁଁ ଦୂରେଇ ଗୀତ ଲେଖିଲେ । କବିସୂର୍ଯ୍ୟ ଆସି ଚମ୍ପୂକୁ ନିଜ କାଳଜୟୀ କୀର୍ତ୍ତି କରିନେଲେ । ଭୀମଭୋଇ ତାଙ୍କ ବିଚିତ୍ର ଗୀତ ମାଧ୍ୟମରେ ଲୋକଙ୍କୁ ଆକୃଷ୍ଟ କରି ଶିଖାଇଲେ ବିଶ୍ୱର ତତ୍ତ୍ୱ । ନିଜକୁ ହୀନ ମନେ କରି ଯବନ କବି ସାଲବେଗ ଏପରି ସରଳ ଓ ଭାବପୂର୍ଣ୍ଣ ଢଙ୍ଗରେ ଜଣାଣ କଲେ ଯେ ଜଗନ୍ନାଥ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଗଲେ । ‘ଆହେ ନୀଳ ଶଇଳ’ ପରି ଗୀତ ଆଉ ଅଛି ? ନା ‘କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ’ ଭଳି ଆଉ ଗୀତ ଅଛି ? ପଞ୍ଚସଖା ତ କାହିଁ କେଉଁ କାଳରୁ ମାଳିକା, ଭାଗବତ, ଲକ୍ଷ୍ମୀପୁରାଣ ଲେଖି ଓଡ଼ିଶୀ ଆକାଶରେ ଅପୂର୍ବ ସ୍ଥାନରେ ରହିସାରିଥିଲେ ।

ତା ପରେ ଆସିଲେ କବିଚନ୍ଦ୍ର, ନୂତନ ଯୁଗର ସ୍ରଷ୍ଟା ଏବଂ ପୁରାତନର ରକ୍ଷାକର୍ତ୍ତା । ଆଜି ଓଡ଼ିଶୀ ନାଚ ବା ଗୀତ ହେଉ, ଯାହା ଅଛି ତାଙ୍କରି ପାଇଁ । ବାଳକୃଷ୍ଣ ଦାସ ପରେ ଆସି ପ୍ରତି ରେଡ଼ିଓରେ ନିଜ ସ୍ୱରରେ ଓଡ଼ିଶୀ ସ୍ୱର ଘରେ ଘରେ ଗୁଞ୍ଜରିତ କରିଦେଲେ।

ମୁଖ୍ୟତଃ ପାଞ୍ଚ ଭାଗରେ ବିଭକ୍ତ କରିହେବ ଏହି ବିଶାଳ ସଙ୍ଗୀତ ସାହିତ୍ୟକୁ-

ଓଡ଼ିଶୀ ଗୀତ, ଚମ୍ପୂ, ଛାନ୍ଦ, ଚଉତିଶା ଏବଂ ଭଜନ-ଜଣାଣ ଇତ୍ୟାଦି ।

ଚାଲନ୍ତୁ ଗୋଟି ଗୋଟି ଦେଖିବା-

୧- ଭଜନ, ଜଣାଣ, ଗୁହାରି

ଏଗୁଡ଼ିକ ଅର୍ଥଗତ ଭେଦ ରହିଛି, କିନ୍ତୁ ଆଜିକାଲି ଏହା ଏତେ ବର୍ଗୀକୃତ କରାଯାଏନା । ଜଣାଣ ହେଲା ଯେଉଁଥିରେ କିଛି ଜଣାଯାଉଥିବ, ଭଜନ ହେଲା ଠାକୁରଙ୍କୁ ଭଜିବା, ମନାସ ହେଲା କାହାକୁ ମନରେ ଭାବିବା, ଇତ୍ୟାଦି ।

୨- ଚଉତିଶା

ଚଉତିଶଟି ଅକ୍ଷରେ ୩୪ଟି ପଦ, ଏହା ହିଁ ଚଉତିଶା । କିପରି ହେବ ଏହା ଉପରେ କିଛି ବନ୍ଧନ ନାହିଁ ।

୩- ଚମ୍ପୂ

ଏହା ବିଷୟରେ ବହୁତ କହିସାରିଲିଣି । ଏଥିରେ ୩୪ଟି ବ୍ୟଞ୍ଜନ ବର୍ଣ୍ଣ ପାଇଁ କ୍ରମରେ ୩୪ଟି ଗୀତ ଥାଏ- ପ୍ରତି ଗୀତର ସମସ୍ତ ଧାଡ଼ି ତାହାରି ନିର୍ଦ୍ଦିଷ୍ଟ ଅକ୍ଷରରେ ଆରମ୍ଭ ହୁଏ ।

ଜାଣିନିଅନ୍ତୁ ଯେ ଚମ୍ପୂ କୌଣସି ନିର୍ଦ୍ଦିଷ୍ଟ ଗ୍ରନ୍ଥର ନାମ ନୁହେଁ, କେବଳ ଏକ genre । କବିସୂର୍ଯ୍ୟ ଏହି ପରି ଏକ ଗ୍ରନ୍ଥ ରଚି ତାର ପଦ୍ୟ ଅଂଶ ଓଡ଼ିଆ ଭାଷାରେ ଲଖିଲେ କିନ୍ତୁ ଗଦ୍ୟଟିକୁ ସଂସ୍କୃତରେ । ଏହି ଗ୍ରନ୍ଥ ଏତେ ଜନପ୍ରିୟ ଏବଂ ଆଦୃତ ହେଲା ଯେ କେବଳ ‘ଚମ୍ପୂ’ ବୋଲି କହିଲେ ଲୋକେ କବିସୂର୍ଯ୍ୟଙ୍କ କିଶୋରୀ ଚମ୍ପୂ କୁ ହିଁ ବୁଝିଲେ । ଅନ୍ୟ ଚମ୍ପୂ ଲଖା ବି ଅଛନ୍ତି, କିନ୍ତୁ କବିସୂର୍ଯ୍ୟଙ୍କ ଚମ୍ପୂ ଅତୁଳନୀୟ । ଏହି ଚମ୍ପୂ ଅତି ବିରଳ, ଏବଂ ଅନ୍ୟତଃ ପରିଦୃଷ୍ଟ ହୁଏନା ।

୪- ଛାନ୍ଦ

ଯେଉଁ ଗୀତଗୁଡ଼ିକ କେତୋଟ ପୂର୍ବନିର୍ଦ୍ଧାରିତ ସ୍ୱରରେ, ତାଳରେ ଗାନ କରାଯାଏ ଏବଂ ନିର୍ଦ୍ଦିଷ୍ଟ ଛନ୍ଦରେ ଲେଖାଯାଏ, ତାହା ଛାନ୍ଦ । ଭାବନ୍ତୁ, ଆପଣ ଏକ ସଂସ୍କୃତ ଶ୍ଳୋକଟେ ଗାଇବେ । କହୁକହୁ ଆପଣଙ୍କ କାନରେ ଏକ ଜଣାଶୁଣା ସ୍ୱର ଶୁଭୁଥିବ । ତାହା ଏକ ଛନ୍ଦ, ଅନୁଷ୍ଟୁପ୍ ଛନ୍ଦ । ନୂଆ ଶ୍ଳୋକଟେ ଦେଲେ ବି ପୂରା ସେହି ଶୈଳୀରେ ଆପଣ ଆରାମରେ ଗାଇ ପାରିବେ । କିନ୍ତୁ କେବେ କେବେ ଆପଣ ଗୋଟିଏ ସ୍ତୋତ୍ର ଦେଖନ୍ତି ଯାହା ଗାଇବା ଶୈଳୀ ଭିନ୍ନ- ତାହା ଅନ୍ୟ ଛନ୍ଦରେ ଲିଖିତ । ଠିକ ସେହିପରି ଏ ଛାନ୍ଦ ।

ପୂର୍ବରୁ ନିର୍ଦ୍ଧାରିତ ଅକ୍ଷରସଂଖ୍ୟାକୁ ମନରେ ରଖି କବିତା ଲେଖାଯାଏ ଓ ତାହାକୁ କାହିଁ କେଉଁ କାଳରୁ ଚାଲି ଆସୁଥିବା ସ୍ୱରରେ ବୋଲାଯାଏ । ଏଭଳି ଶହ-ଶହ ଢାଞ୍ଚା ରହିଛି । ପ୍ରତ୍ୟେକ ଗୋଟିଏ ଛନ୍ଦ ବା ବୃତ୍ତ ଓ ପ୍ରତ୍ୟେକର ଗୋଟିଏ ବିଶେଷ ନା’ ଥାଏ, ଯେପରି- ଗୁଜ୍ଜରୀ, ରସକୁଲ୍ୟା ବା ଋଷିକୁଲ୍ୟା, ଚୋଖି ଇତ୍ୟାଦି । ବିଭନ୍ନ ଅକ୍ଷରସଂଖ୍ୟା ହେଲେ ଛନ୍ଦ ବା ବୃତ୍ତ ବଦଳିଯାଏ । ତେଣୁ ଯଦି ଗୋଟିଏ ଗୀତର ସମସ୍ତ ପଦଗୁଡ଼ିକର ଅକ୍ଷରସଂଖ୍ୟା ଦୃଷ୍ଟିରୁ ଢାଞ୍ଚା ସମାନ, ତାହା ଛାନ୍ଦ ହେବାର ସମ୍ଭାବନା ରହିଛି ।

ପ୍ରକୃତରେ ଛାନ୍ଦ ସ୍ୱରଗୁଡ଼ିକ ସବୁଠୁ ଜଟିଳ, ବିରଳ ଓ ଖାଣ୍ଟି । ଗାଁ-ଗାଁରେ ଏହି ଛାନ୍ଦ ସ୍ୱର ଆଜିସୁଦ୍ଧା ପ୍ରଚଳିତ । ମନେ ଅଛି ‘ଧୀରେ ଘେନ କାନନରେ’?

୫- ଓଡ଼ିଶୀ

ସାଧାରଣ ଓଡ଼ିଶୀ ଗୀତଗୁଡ଼ି ଏହି ନାମରେ ପରିଚିତ । ଏ ସବୁ ରଚନା ଭିନ୍ନ ଭିନ୍ନ ସ୍ୱରରେ, ଯେପରି ‘ତୋ ଲାଗି ଗୋପଦାଣ୍ଡ’ ଓ ‘ଶ୍ୟାମକୁ ଜୁହାର' । ପ୍ରକୃତରେ ଏହାକୁ ଚଉପଦୀ କୁହାଯାଉଥିଲା । ଆଜିକାଲି ଓଡ଼ିଶୀ ଗୀତ କହିବାରୁ ନୂଆ ଶିଖାଳିମାନେ ଓଡ଼ିଶୀ କହିଲେ ସଙ୍ଗୀତର ଧାରା ନା ତାହାର ଗୋଟିଏ ଶାଖା/ପ୍ରକାର ଏଥିରେ କନଫିଉଜି ହୁଅନ୍ତି ।

ସେ ଯାହା ହେଉ, ୩୦୦ ବର୍ଷ ତଳର ‘ଦେଖ ଗୋ ରାଧାମାଧବ ଚାଲି’ ଆଜିଯାଏଁ ଓଡ଼ିଶାର ଟାଇଟଲ ସଙ୍ଗ ହୋଇ ରହିଛି, କଣ କମ କଥା?

ଶାସ୍ତ୍ରୀୟ ମାନେ କଣ ଆମ ଲୋକଗୀତ ସବୁକୁ ଛାଡ଼ି ୧ ମିନିଟରେ କେତେଥର ସ୍ୱର ଥରେଇ “ଆ-ଆ” କରିପାରିବା ତାକୁ ହିଁ ଆମ ସଙ୍ଗୀତ ବୋଲିବା? ମୋ କ୍ଷୁଦ୍ର ବୁଦ୍ଧିରେ ଏସବୁ ପଶେନି- ପ୍ରକୃତରେ ଏସବୁ ଆମ ସଙ୍ଗୀତ କେବେ ନଥିଲେ । ହେଲେ ଓଡ଼ିଶୀ ବିଶେଷଣ କାହାକୁ ଦେବା?

କ୍ଷେତରେ ଧାନ ବୁଣୁଥିବା ବେଳେ ନିଧିଆ ଚାଷିର ଗଳାରୁ ଆସୁଥିବା ଚାଷି ଗୀତ ଓଡ଼ିଶୀ ଗୀତ-ଗାଁର ଦୋଳ ଉଚ୍ଛବରେ କୁଞ୍ଜରେ ମଦନମୋହନ ଝୁଲୁଥିବା ବେଳେ ଝୁଲ ହେ ମଣିମା ଶବଦ ବି ଓଡ଼ିଶୀ ଗୀତ-ସିଂହଦୁଆର ବାହାରେ ଜଗନ୍ନାଥେଙ୍କର ଲକ୍ଷ୍ମୀଙ୍କ ପ୍ରତି କରୁଣ ମାନଭଞ୍ଜନ ମଧ୍ୟ ଓଡ଼ିଶୀ ସଙ୍ଗୀତ-ଝିଅ ଘରୁ ବିଦା ହେଲାବେଳେ ବାହୁନୁଥିବା କବିତା ମଧ୍ୟ ଓଡ଼ିଶୀ ଗୀତ-ପିଲାଟେ ଜନମ ହେଲେ ସତ୍ୟନାରାୟଣ ପାଲାରେ ବୋଲାଯାଉଥିବା ଉଦ୍ଧୃତି ମଧ୍ୟ ଓଡ଼ିଶୀ ଗୀତ-ବଡ଼ଦାଣ୍ଡରେ ଚନ୍ଦନ ପଟୁଆର ବେଳେ ବୃଦ୍ଧଙ୍କର ଫଟା ତଣ୍ଟି ଓ ଝାଞ୍ଜ ମାଦଳ ସହ ‘ମଣି ବିମାନେ ଗୋବିନ୍ଦ’ ଧ୍ୱନି ମଧ୍ୟ ଓଡ଼ିଶୀ ଗୀତ- ଆଉ ରାମତାଳି ଦାସକାଠି ଧରି ଝୁଲୁଁ ଝୁଲୁଁ ମୁଖରୁ ଝରୁଥିବା “ରାମ ହେ ରାମ ହେ, ନବୀନ ସୁନ୍ଦର ଘନଶ୍ୟାମ ହେ” ମଧ୍ୟ ଓଡ଼ିଶୀ ସଙ୍ଗୀତ ।


କୌଣସି ପ୍ରଶ୍ନ ଥିଲେ ବା କିଛି ତ୍ରୁଟି ଥିଲେ ମୋତେ @shrijagannathaରେ ଟୁଇଟର ମାଧ୍ୟମରେ ସମ୍ପର୍କ କରିପାରିବେ ।

Like what you read? Give Prateek Pattanaik a round of applause.

From a quick cheer to a standing ovation, clap to show how much you enjoyed this story.